
ଦିଲ୍ଲୀପ କୁମାର ସୁବୁଦ୍ଧି
ଯେଉଁ ବୟସରେ ହାତରେ ରହିବା କଥା ଖାତା ,କଲମ ଓ ବହି, ସେହି ବୟସରେ ଅବୁଝା କଅଁଳ କାନ୍ଧରେ ଲଦି ଦିଆଯାଉଛି ସଂସାରର ବୋଝ । ଶୈଶବର ଡେଣା କାଟି ସେମାନଙ୍କୁ ଠେଲି ଦିଆଯାଉଛି ଅକାଳ ବାର୍ଦ୍ଧକ୍ୟ ଆଡ଼କୁ। ଏହି ପୁରୁଣା ସାମାଜିକ କଳଙ୍କ ବିରୁଦ୍ଧରେ ଓଡ଼ିଶା ଲଢ଼ୁଛି ସତ, କିନ୍ତୁ ବିଜୟର ରାସ୍ତା ଏବେ ବି ଅନେକ ଦୂର। ଜାତୀୟ ପାରିବାରିକ ସ୍ୱାସ୍ଥ୍ୟ ସର୍ଭେ (NFHS-6) ର ନୂଆ ତଥ୍ୟ ଏକାସାଙ୍ଗରେ ରାଜ୍ୟର ଦୁଇଟି ଚେହେରାକୁ ସାମ୍ନାକୁ ଆଣିଛି— ଗୋଟିଏ ପଟେ ସଂଘର୍ଷ ଭିତରୁ ଉଦିତ ହୋଇଥିବା ଆଶାର ଆଲୋକ, ଅନ୍ୟପଟେ କିଛି ଅଞ୍ଚଳରେ ଘୋଟି ରହିଥିବା ଅନ୍ଧକାରର କଳାବାଦଲ।
ଖସୁଛି ହାର, ଜଳୁଛି ଆଶା
ସାମଗ୍ରିକ ଭାବେ ରାଜ୍ୟରେ ଏହି ସାମାଜିକ ବ୍ୟାଧିର ପ୍ରଭାବ କମିବାରେ ଲାଗିଛି। ତଥ୍ୟ ଅନୁସାରେ, ୨୦ରୁ ୨୪ ବର୍ଷ ବୟସ୍କା ମହିଳାମାନଙ୍କ ମଧ୍ୟରେ ୧୮ ବର୍ଷ ପୂର୍ବରୁ ବିବାହ ହେବାର ହାର ପୂର୍ବ NFHS-5 ରିପୋର୍ଟର ୨୦.୫% ରୁ ଖସି ଏବେ ୧୮.୬% ରେ ପହଞ୍ଚିଛି। ଅର୍ଥାତ୍ ପ୍ରାୟ ଦୁଇ ପ୍ରତିଶତର ଏହି ହ୍ରାସ ଏକ ସକାରାତ୍ମକ ବାର୍ତ୍ତା ବହନ କରୁଛି। କେବଳ ଝିଅମାନେ ନୁହଁନ୍ତି, ପୁଅମାନଙ୍କ କ୍ଷେତ୍ରରେ ମଧ୍ୟ ସାମାନ୍ୟ ସୁଧାର ଆସିଛି। ୨୫ରୁ ୨୯ ବର୍ଷ ବୟସର ପୁରୁଷମାନଙ୍କ ମଧ୍ୟରେ ୨୧ ବର୍ଷ ପୂର୍ବରୁ ବିବାହ ହେବାର ହାର ୧୩.୩% ରୁ କମି ୧୨.୫% ହୋଇଛି। ଅନ୍ୟପଟେ, ଝାରସୁଗୁଡ଼ା ମାତ୍ର ୯.୭% ବାଲ୍ୟ ବିବାହ ହାର ସହିତ ସମଗ୍ର ରାଜ୍ୟ ପାଇଁ ଏକ ଆଦର୍ଶ ମଡେଲ ଭାବେ ଉଭା ହୋଇଛି।

କୋରାପୁଟର ବିପ୍ଳବ: ଇଚ୍ଛାଶକ୍ତି ଆଗରେ ହାର ମାନିଲା ପ୍ରଥା
ପାହାଡ଼, ଜଙ୍ଗଲ ଘେରା କୋରାପୁଟ ଆଜି ପରିବର୍ତ୍ତନର ଏକ ବିଶ୍ୱାସନୀୟ ଉଦାହରଣ ସାଜିଛି। ଏହି ଆଦିବାସୀ ବହୁଳ ଜିଲ୍ଲାରେ ବାଲ୍ୟ ବିବାହ ହାରରେ ଆସିଛି ଏକ ବଡ଼ ଧରଣର ଐତିହାସିକ ପରିବର୍ତ୍ତନ— ପୂର୍ବର ୩୫.୫% ରୁ ଏହା ଖସି ଆସିଛି ସିଧା ୨୦.୯% କୁ। ଶିକ୍ଷାର ପ୍ରସାର, ଗାଁ ଗାଁରେ ପ୍ରଶାସନର କଠୋର ହସ୍ତକ୍ଷେପ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ସଚେତନତା ଏଠାରେ ଯାଦୁ ପରି କାମ କରିଛି। କୋରାପୁଟ ସହିତ ନବରଙ୍ଗପୁର (୧୨.୩ ପଏଣ୍ଟ ହ୍ରାସ), ନୟାଗଡ଼ (୧୦.୭ ପଏଣ୍ଟ ହ୍ରାସ), ବୌଦ୍ଧ (୧୦.୩ ପଏଣ୍ଟ ହ୍ରାସ) ଓ ଗଜପତି (୯.୪ ପଏଣ୍ଟ ହ୍ରାସ) ମଧ୍ୟ ସାମାଜିକ ରୂପାନ୍ତରଣର ନୂଆ କାହାଣୀ ଲେଖିଛନ୍ତି।
ମାଲକାନଗିରିର କୋହ ଓ କିଛି ଜିଲ୍ଲାର ଚିନ୍ତାଜନକ ଓଲଟା ଚିତ୍ର
କିନ୍ତୁ ସବୁ ଚିତ୍ର ଏତେ ଉଜ୍ଜ୍ୱଳ ନୁହେଁ। ମାଲକାନଗିରି ଏବେ ବି ଅସହାୟତାର ବଳୟ ଭିତରେ ଛଟପଟ ହେଉଛି। ରାଜ୍ୟର ସର୍ବାଧିକ ୩୩.୧% ବାଲ୍ୟ ବିବାହ ଏଠାରେ ହିଁ ଦେଖିବାକୁ ମିଳୁଛି। ଆହୁରି ଦୁଃଖଦ ବିଷୟ ହେଲା, ପୂର୍ବ ସର୍ଭେ (୩୨.୪%) ତୁଳନାରେ ଏଠାରେ ସ୍ଥିତି ଆହୁରି ବିଗିଡ଼ିଛି। ଅର୍ଥାତ୍ ଏଠାରେ ପ୍ରତି ତିନି ଜଣ ନାବାଳିକାଙ୍କ ମଧ୍ୟରୁ ପ୍ରାୟ ଜଣେ ଶିକ୍ଷା ପରିବର୍ତ୍ତେ ବୋହୂ ସାଜିବାକୁ ବାଧ୍ୟ ହେଉଛନ୍ତି।
କେବଳ ଦୁର୍ଗମ ଅଞ୍ଚଳ ନୁହେଁ, ଉପକୂଳ ଓ ପଶ୍ଚିମ ଓଡ଼ିଶାର କିଛି ବିକାଶମୁଖୀ ଜିଲ୍ଲାରେ ମଧ୍ୟ ଗ୍ରାଫ୍ ଉପରକୁ ଉଠିବା ପ୍ରଶାସନ ପାଇଁ ଚେତାବନୀ ପାଲଟିଛି:
ବରଗଡ଼: ୮.୬% ରୁ ବୃଦ୍ଧି ପାଇ ୧୪.୯% (୬.୩ ପଏଣ୍ଟ ବୃଦ୍ଧି)
ରାୟଗଡ଼ା: ୧୯.୧% ରୁ ବୃଦ୍ଧି ପାଇ ୨୪.୮% (୫.୭ ପଏଣ୍ଟ ବୃଦ୍ଧି)
ଅନୁଗୋଳ: ୨୫.୦% ରୁ ବୃଦ୍ଧି ପାଇ ୩୦.୨% (୫.୨ ପଏଣ୍ଟ ବୃଦ୍ଧି)
ସମ୍ବଲପୁର: ୭.୪% ରୁ ବୃଦ୍ଧି ପାଇ ୧୦.୪% (୩.୦ ପଏଣ୍ଟ ବୃଦ୍ଧି)
ଏହା ବ୍ୟତୀତ, ରାୟଗଡ଼ାରେ ପୁରୁଷମାନଙ୍କ ବାଲ୍ୟ ବିବାହ ହାର ରାଜ୍ୟରେ ସର୍ବାଧିକ (୩୩.୧%) ରହିଥିବା ବେଳେ ଯାଜପୁର ଏ ଦିଗରେ ଚମତ୍କାର ସଫଳତା ଦେଖାଇଛି— ଏଠାରେ ପୁରୁଷ ବାଳ୍ୟ ବିବାହ ୧୨.୩% ରୁ ହ୍ରାସ ପାଇ ମାତ୍ର ୪.୬% ରେ ସୀମିତ ରହିଛି।
ଲଢ଼େଇ ଏବେ ବି ବାକି ଅଛି
ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ୧୨ଟି ଜିଲ୍ଲାରେ ବାଲ୍ୟ ବିବାହ ହାର ଏବେ ବି ରାଜ୍ୟ ହାର (୧୮.୬%) ଠାରୁ ବହୁ ଉପରେ। କନ୍ଧମାଳ ପରି ଜିଲ୍ଲାରେ ମାତ୍ର ୦.୨ ପଏଣ୍ଟର ନାମମାତ୍ର ହ୍ରାସ ସୂଚାଉଛି ଯେ ସାମାଜିକ ମାନସିକତା ବଦଳାଇବା କେତେ କଷ୍ଟକର। ବାଲ୍ୟ ବିବାହ କେବଳ ଏକ ଆଇନଗତ ଅପରାଧ ନୁହେଁ, ଏହା ଗୋଟିଏ ନିଷ୍ପାପ ଜୀବନର ସ୍ୱପ୍ନ ତଥା ମୌଳିକ ଅଧିକାର ଉପରେ ଏକ ନିର୍ଦ୍ଦୟ ପ୍ରହାର। କେବଳ ସରକାରୀ ନିୟମ କରିଦେଲେ ବାଲ୍ୟ ବିବାହ ବନ୍ଦ ହେବ ନାହିଁ; ଏଥିପାଇଁ ଦରକାର କନ୍ୟା ସନ୍ତାନଙ୍କ ମାଗଣା ତଥା ନିରନ୍ତର ଉଚ୍ଚଶିକ୍ଷା, ପରିବାରର ଆର୍ଥିକ ସ୍ୱଚ୍ଛଳତା ଏବଂ ଗ୍ରାମାଞ୍ଚଳରେ ନିରନ୍ତର ସାମାଜିକ ତଦାରଖ। କୋରାପୁଟ ପ୍ରମାଣ କରିଛି ଯେ ଦୃଢ଼ ଇଚ୍ଛାଶକ୍ତି ଥିଲେ ପାହାଡ଼ ପରି ସମସ୍ୟା ବି ଆଣ୍ଠୁ ମାଡ଼େ। ଏବେ ସମୟ ଆସିଛି, ସେହି ସଚେତନତାର ନିଆଁକୁ ମାଲକାନଗିରି, ରାୟଗଡ଼ା ଓ ଅନୁଗୋଳର ପ୍ରତିଟି ଗଳିକନ୍ଦିରେ ପହଞ୍ଚାଇବାକୁ ହେବ, ଯେପରି କୌଣସି ଶୈଶବ ସମୟ ପୂର୍ବରୁ ବିବାହର ବେଦୀ ଉପରେ ବଳି ନପଡ଼େ।

