ଆବୁଧାବୀରେ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଆ ସମାଜର ଭବ୍ୟ ସ୍ୱାଗତ

Advertisement


ଆବୁଧାବୀ–ଭୁବନେଶ୍ୱର ସିଧାସଳଖ ବିମାନ ସେବା ପୁନଃଚାଲୁ ପାଇଁ ଅନୁରୋଧ; NRIଙ୍କ ପାଇଁ ଜମି ପ୍ରଦାନର ସ୍ୱତନ୍ତ୍ର ବ୍ୟବସ୍ଥା ଦାବି
ଆବୁଧାବୀ, ୧୦ ସେପ୍ଟେମ୍ବର: ଓଡ଼ିଶାରେ ପୁଞ୍ଜିନିବେଶ ଓ ବାଣିଜ୍ୟିକ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆବୁଧାବୀ ଗସ୍ତ ଅବସରରେ ଓଡ଼ିଆ ସମାଜ, ଆବୁଧାବୀ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଏହି ସାକ୍ଷାତ୍‌କାର ମାଧ୍ୟମରେ ଓଡ଼ିଶା ଓ ପ୍ରବାସୀ ଓଡ଼ିଆ ସମାଜ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବା ସହ ବିଭିନ୍ନ ସୁବିଧା ଓ ସମସ୍ୟା ନେଇ ଆଲୋଚନା ହୋଇଥିଲା।


ଓଡ଼ିଆ ସମାଜ, ଆବୁଧାବୀର ଅଧ୍ୟକ୍ଷ ସୌଗତ ନାୟକ, ସମ୍ପାଦକ ସୁକର୍ଣ୍ଣ ବେହେରା, ପରାମର୍ଶଦାତା ଡ. ହିମାଂଶୁ ଦାସ ଏବଂ ପ୍ରଦୀପ କୁମାର ରଥ ପ୍ରମୁଖ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସହ ଥିବା ମନ୍ତ୍ରୀମାନଙ୍କୁ ସ୍ୱାଗତ କରିଥିଲେ।
ଆଲୋଚନା ସମୟରେ ଆବୁଧାବୀ ଓ ଭୁବନେଶ୍ୱର ମଧ୍ୟରେ ସିଧାସଳଖ ବିମାନ ସେବା ପୁନଃଚାଲୁ କରିବା ପାଇଁ ଓଡ଼ିଆ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିଲା। ଏହି ସେବା ପୁନଃଆରମ୍ଭ ହେଲେ UAEରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ଓଡ଼ିଶାକୁ ଆସୁଥିବା ଅନ୍ୟ ଯାତ୍ରୀମାନେ ମଧ୍ୟ ଉପକୃତ ହେବେ ବୋଲି କୁହାଯାଇଥିଲା।
ଏଥିସହ UAE ସମେତ ବିଦେଶରେ ରହୁଥିବା NRI ଓଡ଼ିଆଙ୍କ ସୁବିଧା ପାଇଁ ଓଡ଼ିଶାରେ ଘରବାଡ଼ି ଓ ଜମି ପ୍ରଦାନ ସମ୍ପର୍କରେ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ମଧ୍ୟ ଓଡ଼ିଆ ସମାଜ ପକ୍ଷରୁ ସରକାରଙ୍କ ନିକଟରେ ଅନୁରୋଧ ରଖାଯାଇଥିଲା।
ଅନ୍ୟପକ୍ଷରେ, ଭାରତର ରାଷ୍ଟ୍ରଦୂତଙ୍କ ବାସଭବନରେ ଏକ ରାତ୍ରିଭୋଜନର ମଧ୍ୟ ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ କ୍ଷେତ୍ରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଅଧିକାରୀ ଓ ପ୍ରବାସୀ ଓଡ଼ିଆ ସମାଜର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ମୁଖ୍ୟମନ୍ତ୍ରୀଙ୍କ UAE ଗସ୍ତ ଅବସରରେ ଓଡ଼ିଆ ସମାଜ, ଆବୁଧାବୀର ଏହି ସ୍ୱାଗତ ଓ ଆଲୋଚନା ପ୍ରବାସୀ ଓଡ଼ିଆଙ୍କ ସହ ରାଜ୍ୟ ସରକାରଙ୍କ ସମ୍ପର୍କକୁ ନୂଆ ଦିଗ ଦେବ ବୋଲି ଆଶା ପ୍ରକାଶ ପାଇଛି।

Advertisement
Advertisement

Leave a Reply

Your email address will not be published. Required fields are marked *