ଖଣି ଖନନ ଓ ପ୍ରସ୍ତାବିତ ପ୍ରକଳ୍ପକୁ ବିରୋଧ; ଜଳ, ଜଙ୍ଗଲ, ଜମି ଓ ଆଦିବାସୀ ଅଧିକାର ସୁରକ୍ଷା ପାଇଁ ଦାବି

ମୁନିଗୁଡ଼ା, ରାୟଗଡ଼ା: ନିୟମଗିରି ଓ ମାଳି ପର୍ବତରେ ଖଣି ଖନନ ତଥା ପ୍ରସ୍ତାବିତ ପ୍ରକଳ୍ପକୁ ବିରୋଧ କରି ଆଦିବାସୀଙ୍କ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ସହ ଆଦିବାସୀଙ୍କ ପାରମ୍ପରିକ ଅଧିକାର ଓ ଜୀବନଜୀବିକା ରକ୍ଷା ଦାବିରେ ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ବ୍ଲକ୍ ଅନ୍ତର୍ଗତ ମୁନିଖୋଲ ଗ୍ରାମପଞ୍ଚାୟତରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା।
ନିୟମଗିରି ସୁରକ୍ଷା ସମିତି, ମା’ ମାଟି ସୁରକ୍ଷା ମଞ୍ଚ ଓ ଶଶୁଆଲି ମାଳି ସୁରକ୍ଷା ସମିତିର ମିଳିତ ଆହ୍ୱାନରେ ହଜାର ହଜାର ଆନ୍ଦୋଳନକାରୀ ଏକାଠି ହୋଇ ପ୍ରସ୍ତାବିତ ଖଣି ଖନନ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଶୋଭାଯାତ୍ରା ମୁନିଗୁଡ଼ା ସହର ପରିକ୍ରମା କରିବା ପରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା। ଆନ୍ଦୋଳନକାରୀମାନେ ପାରମ୍ପରିକ ଗୀତ ମାଧ୍ୟମରେ ନିଜର ଅସନ୍ତୋଷ ପ୍ରକାଶ କରିବା ସହ ପାହାଡ଼, ଜଙ୍ଗଲ ଓ ଜମି ସହ ସେମାନଙ୍କର ଗଭୀର ସାଂସ୍କୃତିକ ଓ ଜୀବନଜୀବିକାଗତ ସମ୍ପର୍କକୁ ଉପସ୍ଥାପନ କରିଥିଲେ।
ଗ୍ରାମସଭାର ଅନୁମୋଦନ ବିନା ଖଣି ଖନନକୁ ବିରୋଧ

ଆନ୍ଦୋଳନକାରୀମାନେ ପେସା (PESA) ଆଇନ ଓ ବନ ଅଧିକାର ଆଇନର ଉପଯୁକ୍ତ କାର୍ଯ୍ୟକାରିତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିସହ ନିୟମଗିରି ସମ୍ପର୍କରେ ୨୦୧୩ ମସିହାରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ପାଳନ କରିବାକୁ ସେମାନେ ଦାବି କରିଥିଲେ।
ଗ୍ରାମସଭାର ନିଷ୍ପତ୍ତିକୁ ସମ୍ମାନ ଦେବା, ଗ୍ରାମସଭାର ଆଇନସମ୍ମତ ଅନୁମୋଦନ ବିନା ଖଣି ଖନନ କିମ୍ବା କମ୍ପାନୀକୁ ଜମି ହସ୍ତାନ୍ତର ନ କରିବା ଏବଂ ଆଦିବାସୀ ସମ୍ପ୍ରଦାୟର ଅଧିକାରକୁ ସୁରକ୍ଷିତ ରଖିବା ଆନ୍ଦୋଳନକାରୀଙ୍କ ପ୍ରମୁଖ ଦାବି ରହିଥିଲା।
ସେହିପରି ଆଦିବାସୀ ନେତା ଓ ଆନ୍ଦୋଳନକାରୀଙ୍କ ବିରୋଧରେ ରହିଥିବା ବୋଲି ସେମାନେ ଦାବି କରୁଥିବା ମାମଲାଗୁଡ଼ିକ ପ୍ରତ୍ୟାହାର କରିବାକୁ ମଧ୍ୟ ଦାବି ଉଠିଥିଲା। ଆଦିବାସୀଙ୍କ ଜମି, ଜଙ୍ଗଲ, ପ୍ରାକୃତିକ ସମ୍ପଦ ଓ ପାରମ୍ପରିକ ଜୀବନଶୈଳୀର ସୁରକ୍ଷା ସେମାନଙ୍କର ମୌଳିକ ଅଧିକାର ବୋଲି ଆନ୍ଦୋଳନକାରୀମାନେ ମତ ପ୍ରକାଶ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର
ଆନ୍ଦୋଳନକାରୀଙ୍କ ପ୍ରତିନିଧିମାନେ ଉପରୋକ୍ତ ଦାବିଗୁଡ଼ିକ ନେଇ ମୁନିଗୁଡ଼ା ତହସିଲଦାରଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ନିୟମଗିରି ଓ ମାଳି ପର୍ବତର ପ୍ରାକୃତିକ ସମ୍ପଦର ସୁରକ୍ଷା, ଆଦିବାସୀଙ୍କ ଅଧିକାରର ସମ୍ମାନ ଏବଂ ଗ୍ରାମସଭାର ନିଷ୍ପତ୍ତିକୁ ପ୍ରାଧାନ୍ୟ ଦେବା ଦିଗରେ ସରକାର ଠୋସ୍ ପଦକ୍ଷେପ ନେବାକୁ ସେମାନେ ଦାବି କରିଥିଲେ।
ଏହି ଆନ୍ଦୋଳନ ମାଧ୍ୟମରେ ଆଦିବାସୀ ସମ୍ପ୍ରଦାୟ ପ୍ରାକୃତିକ ସମ୍ପଦର ସୁରକ୍ଷା ଓ ବିକାଶମୂଳକ ପ୍ରକଳ୍ପ ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ସମ୍ମତିର ଗୁରୁତ୍ୱକୁ ପୁଣିଥରେ ସାମ୍ନାକୁ ଆଣିଛନ୍ତି।
ନିୟମଗିରି ଓ ମାଳି ପର୍ବତର ସୁରକ୍ଷା ତଥା ନିଜର ଅଧିକାର ରକ୍ଷା ପାଇଁ ଆଗାମୀ ଦିନରେ ମଧ୍ୟ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି।

