କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଂଶ: ନବୀନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଜବାବ

Advertisement


ସୀମା ବିବାଦର ସମାଧାନ ପାଇଁ ଗଠନମୂଳକ ପ୍ରସ୍ତାବ ଲୋଡ଼ିଲେ ମୋହନ ମାଝୀ


ଭୁବନେଶ୍ୱର, ୨୭ ଅକ୍ଟୋବର: କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜକୁ ନେଇ ରହିଥିବା ଆନ୍ତଃରାଜ୍ୟ ସୀମା ବିବାଦ ପ୍ରସଙ୍ଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଂଶ ବୋଲି ଦୃଢ଼ୋକ୍ତି ପ୍ରକାଶ କରିବା ସହ ରାଜ୍ୟର ଭୌଗୋଳିକ ଅଖଣ୍ଡତା ଓ ବୈଧ ସ୍ୱାର୍ଥର ସୁରକ୍ଷା ପାଇଁ ସରକାର ପ୍ରତିବଦ୍ଧ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଅକ୍ଟୋବର ୨୭ ତାରିଖରେ ନବୀନ ପଟ୍ଟନାୟକଙ୍କୁ ଲେଖିଥିବା ଏକ ପତ୍ରରେ ମୁଖ୍ୟମନ୍ତ୍ରୀ ଏହି ମତ ପ୍ରକାଶ କରିଛନ୍ତି। କୋଟିଆ ସୀମା ବିବାଦ ସମ୍ପର୍କରେ ନବୀନ ପଟ୍ଟନାୟକ ଅକ୍ଟୋବର ୧୯ ତାରିଖରେ ଲେଖିଥିବା ପତ୍ରର ଉତ୍ତରରେ ମୁଖ୍ୟମନ୍ତ୍ରୀ ନିଜର ଆଭିମୁଖ୍ୟ ରଖିଛନ୍ତି।


ପତ୍ରରେ ମୋହନ ମାଝୀ ଉଲ୍ଲେଖ କରିଛନ୍ତି ଯେ, ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ହେବା ଦିନଠାରୁ କୋଟିଆ ଗ୍ରାମପୁଞ୍ଜ ଓଡ଼ିଶାର ଅବିଚ୍ଛେଦ୍ୟ ଅଂଶ ହୋଇ ରହିଆସିଛି। ଏହି ଅଞ୍ଚଳର ଭୌଗୋଳିକ ଅଖଣ୍ଡତା ରକ୍ଷା କରିବା ସହ ଏହାର ବୈଧ ସ୍ୱାର୍ଥର ସୁରକ୍ଷା ପାଇଁ ରାଜ୍ୟ ସରକାର ଆଇନଗତ ଓ ସାମ୍ବିଧାନିକ ମାର୍ଗରେ କାର୍ଯ୍ୟ କରୁଛନ୍ତି।
ନବୀନ ପଟ୍ଟନାୟକଙ୍କ ପତ୍ରର ବିଷୟବସ୍ତୁକୁ ନେଇ ମତ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ରାଜନୈତିକ ଦୃଷ୍ଟିକୋଣ ଅପେକ୍ଷା ଗଠନମୂଳକ ଆଲୋଚନା ଏବଂ ଆଇନସମ୍ମତ ସମାଧାନ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ।

Advertisement


କୋଟିଆର ବିକାଶ ଉପରେ ସରକାରଙ୍କ ଗୁରୁତ୍ୱ
କୋଟିଆ ଓ ଏହାର ଆଖପାଖ ଅଞ୍ଚଳର ବିକାଶକୁ ସରକାର ପ୍ରାଥମିକତା ଦେଉଥିବା ମୁଖ୍ୟମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି। ସ୍ଥାନୀୟ ଲୋକଙ୍କୁ ଉନ୍ନତ ସରକାରୀ ସେବା ଯୋଗାଇଦେବା, ଅନ୍ତର୍ଭୁକ୍ତିମୂଳକ ବିକାଶକୁ ଆଗକୁ ବଢ଼ାଇବା ଏବଂ ଜନସାଧାରଣଙ୍କ ଜୀବନଧାରଣର ମାନ ବୃଦ୍ଧି କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି।
ଏଥିପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ଏହି କମିଟି କୋଟିଆ ଗ୍ରାମପଞ୍ଚାୟତ ଅଞ୍ଚଳର ସମନ୍ୱିତ ବିକାଶ କାର୍ଯ୍ୟର ତଦାରଖ କରୁଛି।
ଏହାସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଅଞ୍ଚଳକୁ ଗସ୍ତ କରି ବିକାଶମୂଳକ ଆବଶ୍ୟକତାର ସମୀକ୍ଷା କରୁଛନ୍ତି। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କୋଟିଆର ସାମଗ୍ରିକ ବିକାଶ ସୁନିଶ୍ଚିତ କରିବା ଏହି ପଦକ୍ଷେପର ଉଦ୍ଦେଶ୍ୟ ବୋଲି ପତ୍ରରେ କୁହାଯାଇଛି।
ନ୍ୟାୟିକ ପ୍ରକ୍ରିୟା ପ୍ରତି ସମ୍ମାନ ରଖିବାକୁ ଆହ୍ୱାନ
ଦୀର୍ଘଦିନ ଧରି ଚାଲିଆସୁଥିବା ଏହି ଆନ୍ତଃରାଜ୍ୟ ବିବାଦର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ସମସ୍ତ ପକ୍ଷ ସଂଯମ ଓ ଦାୟିତ୍ୱବୋଧର ସହ କାର୍ଯ୍ୟ କରିବା ସହ ନ୍ୟାୟିକ ପ୍ରକ୍ରିୟାକୁ ସମ୍ମାନ ଦେବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି।
ଓଡ଼ିଶାର ଭୌଗୋଳିକ ଅଖଣ୍ଡତାର ସୁରକ୍ଷା ସହ କୋଟିଆ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଲୋକଙ୍କ ସାମାଜିକ ଓ ଆର୍ଥିକ ପ୍ରଗତିକୁ ସୁନିଶ୍ଚିତ କରିବା ସରକାରଙ୍କ ଲକ୍ଷ୍ୟ ବୋଲି ସେ କହିଛନ୍ତି।
ପତ୍ରର ଶେଷରେ ଏହି ଦୀର୍ଘଦିନର ସମସ୍ୟାର ସମାଧାନ ପାଇଁ ନବୀନ ପଟ୍ଟନାୟକଙ୍କଠାରୁ ଗଠନମୂଳକ ପ୍ରସ୍ତାବ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ପ୍ରସ୍ତାବଗୁଡ଼ିକୁ ସରକାରଙ୍କ ବିଚାର ପାଇଁ ଗ୍ରହଣ କରାଯିବ ବୋଲି ସେ ପତ୍ରରେ ଉଲ୍ଲେଖ କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *