ଝାରସୁଗୁଡ଼ା, ୮/୯: ଶିଳ୍ପ କ୍ଷେତ୍ରରେ ଡିପ୍ଟେକ୍ (DeepTech), କୃତ୍ରିମ ବୁଦ୍ଧିମତ୍ତା (AI), ଡିଜିଟାଲୀକରଣ ଓ ସ୍ୱୟଂଚାଳନର ବ୍ୟାପକ ପ୍ରୟୋଗ ପାଇଁ ବେଦାନ୍ତ ଆଲୁମିନିୟମ୍ ଏବଂ ଡିପ୍ଟେକ୍ ଇନ୍କ୍ୟୁବେଟର୍ ଭି-ସ୍ପାର୍କ ମିଳିତ ଭାବେ ପଦକ୍ଷେପ ନେଇଛନ୍ତି। ଝାରସୁଗୁଡ଼ାରେ ଆୟୋଜିତ ପ୍ରଯୁକ୍ତି ପ୍ରଦର୍ଶନୀ ‘ମେଟାଲଭର୍ସ’ରେ ବିଭିନ୍ନ ପ୍ରଯୁକ୍ତି ସଂସ୍ଥା ସହ ଏକାଧିକ ସହଯୋଗ ଘୋଷଣା କରାଯାଇଛି।

ଏହି ସହଯୋଗ ମାଧ୍ୟମରେ ବେଦାନ୍ତ ଆଲୁମିନିୟମ୍ର ବିଭିନ୍ନ କାର୍ଯ୍ୟକଳାପରେ ପ୍ରଯୁକ୍ତିର ପ୍ରୟୋଗ କରି ୨୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ଉତ୍ପାଦନକ୍ଷମତା ବୃଦ୍ଧି, ଖର୍ଚ୍ଚ ହ୍ରାସ, ସମ୍ପତ୍ତିର ନିର୍ଭରଯୋଗ୍ୟତା, ସୁରକ୍ଷା ଓ ସ୍ଥାୟୀ ବିକାଶକୁ ଏହି ପଦକ୍ଷେପରେ ପ୍ରାଥମିକତା ଦିଆଯିବ।
ଏହି କାର୍ଯ୍ୟକ୍ରମରେ ଓପନଏଆଇ, ମାଇକ୍ରୋସଫ୍ଟ, ଏସଏପି, ଏଭିଭା, ରକୱେଲ୍ ଅଟୋମେସନ୍, ଥଟ୍ୱର୍କସ୍ ଓ ଫାଇଭ୍ସ ଭଳି ପ୍ରଯୁକ୍ତି ସଂସ୍ଥା ସହ ବେଦାନ୍ତର ସହଯୋଗ ରହିଛି। ଏହା ସହିତ ରିପିକ୍.ଏଆଇ, ଜାଇମା, ଫ୍ୟାକ୍ଲନ୍, ଡିଜାଇନ୍ଏକ୍ସ, ଡିଜିଟାଲ୍ ପାଣି, ଅଟୋଭିଆର୍ସ, ଏନମୋଭିଲ୍ ଓ ଆଇଡିଆଫୋର୍ଜ ଭଳି ଡିପ୍ଟେକ୍ ଷ୍ଟାର୍ଟଅପ୍ ସହ ମଧ୍ୟ ସହଯୋଗ କରାଯାଇଛି।
ବେଦାନ୍ତ ଲିମିଟେଡ୍ର ଅଣ-କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତଥା ହିନ୍ଦୁସ୍ତାନ ଜିଙ୍କ୍ର ଅଧ୍ୟକ୍ଷା ପ୍ରିୟା ଅଗ୍ରୱାଲ ହେବ୍ବର କହିଛନ୍ତି ଯେ, ଭାରତୀୟ ଉତ୍ପାଦନ କ୍ଷେତ୍ର ଏକ ନିର୍ଣ୍ଣାୟକ ଦଶକରେ ପ୍ରବେଶ କରୁଛି। AIକୁ ପରିବର୍ତ୍ତନର ଏକ ପ୍ରମୁଖ ଉତ୍ପ୍ରେରକ ଭାବେ ବ୍ୟବହାର କରି ଭବିଷ୍ୟତର ପ୍ରଯୁକ୍ତି ସହ ଭବିଷ୍ୟତର ଧାତୁ ଉତ୍ପାଦନ କରିବା କମ୍ପାନୀର ଲକ୍ଷ୍ୟ ବୋଲି ସେ କହିଛନ୍ତି।
ଭି-ସ୍ପାର୍କ ଡିପ୍ଟେକ୍ ଭେଞ୍ଚର୍ସର ଅଧ୍ୟକ୍ଷ ଆକର୍ଷ ହେବ୍ବର କହିଛନ୍ତି, ନୂଆ ପ୍ରଯୁକ୍ତିକୁ ବୃହତ୍ ଶିଳ୍ପସ୍ତରରେ ପ୍ରୟୋଗ କରି ମାପିହେବା ଭଳି ବ୍ୟବସାୟିକ ମୂଲ୍ୟ ସୃଷ୍ଟି କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।
ବର୍ତ୍ତମାନ ଭି-ସ୍ପାର୍କ କାର୍ଯ୍ୟକ୍ରମ ଅଧୀନରେ ପ୍ରାୟ ୭୦ଟି ଷ୍ଟାର୍ଟଅପ୍ ସହ ବେଦାନ୍ତ ଆଲୁମିନିୟମ୍ ସକ୍ରିୟ ଭାବେ ସହଯୋଗ କରୁଛି। ଲାଞ୍ଜିଗଡ଼, ଝାରସୁଗୁଡ଼ା ଓ ଛତିଶଗଡ଼ର କୋରବାସ୍ଥିତ ବାଲ୍କୋର କାର୍ଯ୍ୟକଳାପରେ ଏହି ପ୍ରଯୁକ୍ତି ପ୍ରୟୋଗକୁ ବିସ୍ତାର କରାଯାଉଛି।

