‘ଦ କ୍ଲେ କଣ୍ଟିନ୍ୟୁଅମ୍’ରେ ଟେରାକୋଟାର ମନମୋହକ ଯାତ୍ରା
ଭୁବନେଶ୍ୱର, ୩।୯: ମାଟି ଯେତେବେଳେ ଶିଳ୍ପୀଙ୍କ ହାତର ସ୍ପର୍ଶ ପାଏ, ସେତେବେଳେ ତାହା କେବଳ ମାଟି ହୋଇ ରହେନାହିଁ—ପାଲଟିଯାଏ ଇତିହାସ, ପରମ୍ପରା ଓ ସଂସ୍କୃତିର ଜୀବନ୍ତ ପ୍ରତିଛବି। ଭୁବନେଶ୍ୱର ଖାରବେଳ ନଗରସ୍ଥିତ ରାଷ୍ଟ୍ରୀୟ ଲଳିତ କଳା ଏକାଡେମୀ ଆଞ୍ଚଳିକ କେନ୍ଦ୍ରରେ ଚାଲିଥିବା ଟେରାକୋଟା ପ୍ରଦର୍ଶନୀ ‘ଦ କ୍ଲେ କଣ୍ଟିନ୍ୟୁଅମ୍’ ଏହି ଅନୁଭବକୁ ଦର୍ଶକଙ୍କ ସାମ୍ନାକୁ ଆଣିଛି।

ପଦ୍ମଶ୍ରୀ ଚିତ୍ରଶିଳ୍ପୀ ବିନୋଦ ମହାରଣା ପ୍ରଦର୍ଶନୀର ଉଦ୍ଘାଟନ କରିଥିଲେ। ଏଠାରେ ଓଡ଼ିଶାର ୮ ଜଣ ପ୍ରତିଷ୍ଠିତ ଶିଳ୍ପୀଙ୍କ ପାରମ୍ପରିକ ଓ ସମସାମୟିକ ଟେରାକୋଟା କଳାକୃତି ସ୍ଥାନ ପାଇଛି।
ଶିଳ୍ପୀ ବନ ରଣାଙ୍କ ‘ଘଣ୍ଟପାଟୁଆ’ ଓ ‘କାଞ୍ଚି ଅଭିଯାନ’ ବିଶେଷ ଆକର୍ଷଣ ପାଲଟିଛି। ୭ ଫୁଟ ଉଚ୍ଚ ‘ଘଣ୍ଟପାଟୁଆ’ରେ ଚୈତ୍ର ମାସର ଲୋକପରମ୍ପରାକୁ ଜୀବନ୍ତ ରୂପ ଦିଆଯାଇଥିବା ବେଳେ ‘କାଞ୍ଚି ଅଭିଯାନ’ରେ ଜଗନ୍ନାଥ-ବଳଭଦ୍ର ଓ ମାଣିକ ଗଉଡୁଣୀଙ୍କ କାହାଣୀ ମାଟିରେ ମୂର୍ତ୍ତ ହୋଇଛି।
**ନରତ୍ତମ ଦାସଙ୍କ ୯ ଫୁଟ ଉଚ୍ଚ ‘ପିଲର ଅଫ୍ ଡିଭାଇନ୍ ଲଭ୍’**ରେ ଶ୍ରୀକୃଷ୍ଣ ଓ ସହସ୍ର ଗୋପବାଳାଙ୍କ ବସନ୍ତ ପଞ୍ଚମୀ ଦୃଶ୍ୟ ଦର୍ଶକଙ୍କ ମନ ମୋହୁଛି। ସେହିପରି ସଞ୍ଜୟ ମୁଦୁଲିଙ୍କ ‘ହେଙ୍ଗିଙ୍ଗ ସିମ୍ଫୋନୀ’, ମୁକୁନ୍ଦ ରଣାଙ୍କ ‘ଫଲ୍ ଅଫ୍ ମହିଷାସୁର’, ସୁଧୀର ରଞ୍ଜନ ମହାରଥାଙ୍କ ‘ଏ କୋର୍ଟୟାର୍ଡ ଅଫ୍ ମେମୋରୀ’ ଓ ସୁକାନ୍ତ ମୁଦୁଲିଙ୍କ କୃତି ମଧ୍ୟ ଆକର୍ଷଣ ସୃଷ୍ଟି କରିଛି।
ବିଶେଷ ଭାବେ **ସରୋଜ କୁମାର ରାଉତଙ୍କ ‘ଦ ଚେରିଅଟ୍ ଅଫ୍ ଇଟର୍ନିଟି’**ରେ ଚତୁର୍ଦ୍ଧାମୂର୍ତ୍ତି, ମହାପ୍ରଭୁଙ୍କ ୩୨ ବେଶ ଓ ରଥଯାତ୍ରାର ଟାହିଆକୁ ଅତ୍ୟନ୍ତ ସୂକ୍ଷ୍ମତାରେ ଉପସ୍ଥାପନ କରାଯାଇଛି। ଜୟଦେବ ରଣାଙ୍କ ‘ଯଜ୍ଞ ନୃସିଂହ’ ଓ ‘ଜର୍ନି ଅଫ୍ ଡେଷ୍ଟିନି’ ମଧ୍ୟ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରୁଛି।
ପାରମ୍ପରିକ ଟେରାକୋଟା ସହ ସମସାମୟିକ ଶିଳ୍ପଚିନ୍ତାର ଏହି ମିଳନ ‘ଦ କ୍ଲେ କଣ୍ଟିନ୍ୟୁଅମ୍’କୁ କେବଳ ଏକ ପ୍ରଦର୍ଶନୀ ନୁହେଁ, ବରଂ ଓଡ଼ିଶାର ମାଟି, ମିଥ୍ ଓ ଐତିହ୍ୟର ଏକ ସୃଜନଶୀଳ ଯାତ୍ରାରେ ପରିଣତ କରିଛି।

