ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

Advertisement

ସମୁଦ୍ର ମାଛଧରା ବନ୍ଦ ଆଶଙ୍କା ମଧ୍ୟରେ କ୍ଷୁଦ୍ର ଓ ପ୍ରାନ୍ତିକ ମତ୍ସ୍ୟଜୀବୀଙ୍କ ପାଇଁ ସହାୟତା ଦାବି


ଭୁବନେଶ୍ୱର, ୧୪ ଜୁନ: ଡିଜେଲ ଦର ବୃଦ୍ଧି ଓ ମାଛଧରା ଖର୍ଚ୍ଚ ଅସ୍ୱାଭାବିକ ଭାବେ ବଢ଼ିବା ପ୍ରତିବାଦରେ ରାଜ୍ୟର ବିଭିନ୍ନ ମତ୍ସ୍ୟଜୀବୀ ସଂଗଠନ ଜୁନ ୧୫ ତାରିଖରୁ ସମୁଦ୍ରରେ ମାଛଧରା କାର୍ଯ୍ୟ ବନ୍ଦ କରିବାକୁ ଯାଉଥିବା ଖବର ମଧ୍ୟରେ ପରିବେଶବିତ୍ ଓ ଜଳ ସଂରକ୍ଷଣ କର୍ମୀ ରଞ୍ଜନ ପଣ୍ଡା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଏକ ଚିଠି ଲେଖି କ୍ଷୁଦ୍ର ଓ ପ୍ରାନ୍ତିକ ମତ୍ସ୍ୟଜୀବୀଙ୍କ ପାଇଁ ତୁରନ୍ତ ସାମାଜିକ ଓ ଆର୍ଥିକ ସୁରକ୍ଷା ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।


ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ମତ୍ସ୍ୟ ଖାତରେ ନିର୍ଭରଶୀଳ ହଜାର ହଜାର ପରିବାରଙ୍କ ଜୀବିକା ଏହି ପ୍ରସ୍ତାବିତ ଧର୍ମଘଟ ଦ୍ୱାରା ପ୍ରଭାବିତ ହୋଇପାରେ। ବିଶେଷକରି କ୍ଷୁଦ୍ର ଓ ପାରମ୍ପରିକ ମତ୍ସ୍ୟଜୀବୀମାନେ ଆର୍ଥିକ ଦୃଷ୍ଟିରୁ ଅଧିକ ସଙ୍କଟର ସମ୍ମୁଖୀନ ହେବେ।
ରଞ୍ଜନ ପଣ୍ଡା କହିଛନ୍ତି ଯେ, ଓଡ଼ିଶାର ଉପକୂଳବର୍ତ୍ତୀ ସମୁଦାୟ ଦୀର୍ଘଦିନ ଧରି ଜଳବାୟୁ ପରିବର୍ତ୍ତନ, ସମୁଦ୍ର ଜଳର ତାପମାତ୍ରା ବୃଦ୍ଧି, ମାଛର ଚଳନ ପଥରେ ପରିବର୍ତ୍ତନ, ବାତ୍ୟା, ଉପକୂଳ କ୍ଷୟ, ସମୁଦ୍ର ପ୍ରଦୂଷଣ ଏବଂ ମାଛ ଉତ୍ପାଦନ ହ୍ରାସ ଭଳି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଆସୁଛନ୍ତି। ଏହା ତାଙ୍କ ଜୀବିକାକୁ ଅଧିକ ଅନିଶ୍ଚିତ କରିଦେଇଛି।
ସେ ସରକାରଙ୍କୁ ଜରୁରୀ ଆର୍ଥିକ ସହାୟତା, କ୍ଷୁଦ୍ର ମତ୍ସ୍ୟଜୀବୀଙ୍କ ପାଇଁ ସବସିଡି ଡିଜେଲ, ସହଜ ସର୍ତ୍ତରେ ଋଣ ଓ ଋଣ ଛାଡ଼ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି। ସେହିପରି ପେନସନ, ସ୍ୱାସ୍ଥ୍ୟ ବୀମା, ଶିକ୍ଷା ସହାୟତା ଓ ବିକଳ୍ପ ଜୀବିକା କାର୍ଯ୍ୟକ୍ରମକୁ ସୁଦୃଢ଼ କରିବା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି।

Advertisement


ଚିଠିର ଏକ ପ୍ରମୁଖ ପ୍ରସ୍ତାବ ହେଉଛି ‘ମତ୍ସ୍ୟଜୀବୀ ଜୀବିକା ବୀମା ଯୋଜନା’ ପ୍ରବର୍ତ୍ତନ। ଏହି ଯୋଜନା ମାଧ୍ୟମରେ ବାତ୍ୟା, ଜଳବାୟୁ ପରିବର୍ତ୍ତନ, ଇନ୍ଧନ ମୂଲ୍ୟ ବୃଦ୍ଧି, ମାଛଧରା ନିଷେଧାଜ୍ଞା ଏବଂ ମାଛ ସମ୍ପଦ ହ୍ରାସ ଭଳି କାରଣରୁ ଜୀବିକା ବାଧାପ୍ରାପ୍ତ ହେଲେ ପରିବାରଗୁଡ଼ିକୁ ସୁରକ୍ଷା ମିଳିପାରିବ।


ପଣ୍ଡା ମାଛ ପ୍ରକ୍ରିୟାକରଣ, ବିପଣନ, ଜାଲ ତିଆରି, ପରିବହନ ଓ ମୂଲ୍ୟ ସଂଯୋଜନ କାର୍ଯ୍ୟରେ ନିୟୋଜିତ ମହିଳାମାନଙ୍କ ଭୂମିକାକୁ ଔପଚାରିକ ସ୍ୱୀକୃତି ଦେବାକୁ ମଧ୍ୟ ଦାବି କରିଛନ୍ତି। ସେମାନଙ୍କୁ କ୍ଷତିପୂରଣ, ବୀମା ଓ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି।


ଏହା ସହିତ ସେ ସ୍ଥାୟୀ ମତ୍ସ୍ୟଚାଷ ପ୍ରଯୁକ୍ତି, ଉପକୂଳୀୟ ପରିବେଶ ପୁନରୁଦ୍ଧାର, ସମୁଦାୟ ଭିତ୍ତିକ ମତ୍ସ୍ୟ ସମ୍ପଦ ପରିଚାଳନା ଓ ଯୁବକ-ଯୁବତୀଙ୍କ ପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ନିବେଶ ବୃଦ୍ଧି କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି।


ମତ୍ସ୍ୟଜୀବୀମାନେ କେବଳ ଖାଦ୍ୟ ଉତ୍ପାଦକ ନୁହେଁ, ବରଂ ଉପକୂଳୀୟ ପରିବେଶର ସଂରକ୍ଷକ ବୋଲି ଉଲ୍ଲେଖ କରି ରଞ୍ଜନ ପଣ୍ଡା ସେମାନଙ୍କର ମର୍ଯ୍ୟାଦା, ଜୀବିକା ସୁରକ୍ଷା ଓ ଜଳବାୟୁ ଜନିତ ଚ୍ୟାଲେଞ୍ଜ ମୁକାବିଲା କ୍ଷମତା ବୃଦ୍ଧି ପାଇଁ ଓଡ଼ିଶା ସରକାର ତୁରନ୍ତ ପଦକ୍ଷେପ ନେବାକୁ ଆହ୍ୱାନ ଜଣାଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *