ବିଶ୍ୱ ଦରବାରରେ କୋରାପୁଟର ନୂଆ ପରିଚୟ
ସୌମରଞ୍ଜନ ସାହୁ

କୋରାପୁଟ କଫିର ସ୍ୱତନ୍ତ୍ର ସ୍ୱାଦ ଓ ସୁଗନ୍ଧ ଏବେ ବିଶ୍ୱ ଦରବାରରେ ଆହୁରି ପରିଚିତ ହେବାର ସୁଯୋଗ ପାଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେଇଥିବା ପ୍ରାୟ ୧୩୦୦ ଦେଶୀ ଓ ବିଦେଶୀ ସାମ୍ବାଦିକଙ୍କୁ ପ୍ରଦାନ କରାଯାଇଥିବା ସ୍ୱତନ୍ତ୍ର ଉପହାରରେ ଅନ୍ୟାନ୍ୟ ଭାରତୀୟ ଉତ୍ପାଦ ସହିତ ଓଡ଼ିଶାର କୋରାପୁଟ କଫି ସ୍ଥାନ ପାଇଛି। ଏହା କୋରାପୁଟ ତଥା ସମଗ୍ର ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ କୁହାଯାଇଛି।
ଏହି ଗୌରବମୟ ଅବସରରେ କୋରାପୁଟର ସମସ୍ତ କଫିଚାଷୀ, କଫି ଉତ୍ପାଦନ ଓ ବିପଣନ ସହ ଜଡ଼ିତ ବ୍ୟକ୍ତିବିଶେଷ ଏବଂ କୋରାପୁଟ ଜିଲ୍ଲା ପ୍ରଶାସନଙ୍କୁ ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି।
ବ୍ରିକ୍ସ ଭଳି ବିଶ୍ୱସ୍ତରୀୟ ସମ୍ମିଳନୀରେ କୋରାପୁଟ କଫି ସ୍ଥାନ ପାଇବା ଦ୍ୱାରା ଏହାର ପ୍ରଚାର ଓ ପ୍ରସାର ଅନ୍ତର୍ଜାତୀୟ ସ୍ତରରେ ଆହୁରି ବ୍ୟାପକ ହେବ। ଏହା କୋରାପୁଟ କଫିକୁ ବିଶ୍ୱବଜାରରେ ଏକ ସ୍ୱତନ୍ତ୍ର ପରିଚୟ ଦେବା ସହ କଫିଚାଷୀମାନଙ୍କ ପାଇଁ ନୂଆ ବଜାର ଓ ଅଧିକ ଆୟର ସୁଯୋଗ ସୃଷ୍ଟି କରିବ ବୋଲି ମଞ୍ଚ ଆଶା ପ୍ରକାଶ କରିଛି।
କୋରାପୁଟ କଫିର ଏହି ସଫଳତା ସ୍ଥାନୀୟ ଉତ୍ପାଦକୁ ବିଶ୍ୱସ୍ତରୀୟ ପରିଚୟ ଦେବାର ଏକ ଉଲ୍ଲେଖନୀୟ ଉଦାହରଣ। ଏହା କୋରାପୁଟର କଫିଚାଷୀଙ୍କ ମନୋବଳ ବଢ଼ାଇବା ସହ ଜିଲ୍ଲାରେ କଫିଚାଷକୁ ଆହୁରି ପ୍ରୋତ୍ସାହନ ଦେବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି।
ଏହାପୂର୍ବରୁ ଦେଶର ପ୍ରଧାନମନ୍ତ୍ରୀ ତାଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମରେ କୋରାପୁଟ କଫିର ପ୍ରଶଂସା କରିଥିଲେ। ଏବେ ବ୍ରିକ୍ସ ଭଳି ଏକ ଅନ୍ତର୍ଜାତୀୟ ମଞ୍ଚରେ କୋରାପୁଟ କଫିର ଉପସ୍ଥିତି ଏହାର ବିଶ୍ୱସ୍ତରୀୟ ପରିଚୟକୁ ଆହୁରି ସୁଦୃଢ଼ କରିଛି। ସ୍ୱଦେଶୀ ଜାଗରଣ ମଞ୍ଚର ଓଡ଼ିଶା ପଶ୍ଚିମ ପ୍ରାନ୍ତ ସଂଯୋଜକ ମନୋରଞ୍ଜନ ରାଉତରାୟ ଏକ ପ୍ରେସ ବାର୍ତ୍ତାରେ ଏହା ଜଣାଇଛନ୍ତି। ସେ କହିଛନ୍ତି ଯେ, କୋରାପୁଟ କଫିର ଏହି ଆନ୍ତର୍ଜାତୀୟ ପରିଚୟ କେବଳ କୋରାପୁଟ ପାଇଁ ନୁହେଁ, ସମଗ୍ର ଓଡ଼ିଶା ପାଇଁ ଗୌରବର ବିଷୟ। ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହନ ଦେଇ ଚାଷୀ ଓ ଉତ୍ପାଦକଙ୍କୁ ବିଶ୍ୱବଜାର ସହ ଯୋଡ଼ିବା ହେଉଛି ସ୍ୱାବଲମ୍ବୀ ଭାରତ ଗଠନର ଏକ ମହତ୍ତ୍ୱପୂର୍ଣ୍ଣ ଆଧାର। ଏହା ନୂତନ ଉଦ୍ୟମିତା ଓ ରୋଜଗାର ସୃଷ୍ଟି କରିବାରେ ସହାୟକ ହେବ । କୋରାପୁଟ କଫି ଏହି ଦିଗରେ ଏକ ଉଜ୍ଜ୍ୱଳ ଉଦାହରଣ ବୋଲି ସେ ମତପ୍ରକାଶ କରିଛନ୍ତି।

