ଭୁବନେଶ୍ବର ତା ୨୦.୦୯
ଓଡ଼ିଶାର ପାରମ୍ପରିକ ଆରିସା ପିଠାକୁ ଚୁଲି ମୁଣ୍ଡରୁ ଜାତୀୟ ଓ ଆନ୍ତର୍ଜାତୀୟ ବଜାରକୁ ଆଣି ସୁନାମ ସାଉଁଟିଥିବା ଉଦ୍ୟୋଗିନୀ ତାରା ଦାସଙ୍କୁ ଜାତୀୟ ଓଡିଶା ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି।

ଭୁବନେଶ୍ବରସ୍ଥିତ ଗୁରୂ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ତାଙ୍କୁ ସମ୍ମାନିତ କରାଯାଇଛି। ପଶ୍ଚିମବଙ୍ଗର ଏକ ସାମଜିକ ସଂଗଠନ ନ୍ୟାସନାଲ ଏକାଡେମୀ ଫର୍ ସାକ୍ଷରତା ମିଶନ (ଏନ୍ ଏ ଏଲ୍ ଏମ୍) ଦ୍ୱାରା ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଉଦ୍ୟୋଗୀ ଜଗତରେ ନିଆରା ଅବଦାନ ନିମନ୍ତେ ତାରା ଦାସଙ୍କୁ ଏଭଳି ସମ୍ମାନରେ ସମ୍ମାନିତ କରାଯାଇଛି ।
ପୁରସ୍କାର ପ୍ରଦାନ ପାଇଁ ଆୟୋଜିତ ଏହି ଉତ୍ସବ ଭୁବନେଶ୍ବର ଭଳି ବିଭିନ୍ନ ସହରରେ ଗୋଟିଏ ଦିନରେ ଆୟୋଜିତ ହୋଇଥିବା କୁହାଯାଇଛି।
ଫାଷ୍ଟଫୁଡ ଜମାନାରେ ପାରମ୍ପରିକ ପିଠାପଣା ଓଡ଼ିଶାର ଚୁଲିମୁଣ୍ଡରୁ ହଜିବାକୁ ବସିଥିବା ବେଳେ ତାରା ଦାସ rojamoni foods ବ୍ୟନରରେ ଉତ୍କଳୀୟ ସଂସ୍କୃତିର ଏହି ସ୍ୱାଦିଷ୍ଟ ପିଠାକୁ ଉଜ୍ଜୀବିତ କରି ରଖିଛନ୍ତି। ତାଙ୍କ ହାତ ତିଆରି ସ୍ୱାଦିଷ୍ଟ ଆରିସା ପିଠାକୁ ଓଡିଶା ବାହାରେ ଥିବା ଓଡିଆ ମାନେ ଅର୍ଡର ଦେଇ ମଗାଇ ପାରୁଛନ୍ତି। ଜୀବିକା ପାଇଁ ସଂଘର୍ଷ କରୁଥିବା ତାରା ଆରିସା ପିଠାକୁ ଜୀବିକାର ମାଧ୍ୟମ କରି ସଶକ୍ତ ହୋଇଥିବା ବେଳେ ଅନ୍ୟ କେତେକଙ୍କୁ କୌଶଳ ଶିଖାଇ ରୋଜଗାର ଦେଇଛନ୍ତି।
ସଂଘର୍ଷ ଓ ନିର୍ମାଣର ଏହି କାହାଣୀ ତାରା ଦାସଙ୍କୁ ନିଆରା ପରିଚୟ ଦେଇଛି।

