
ଭୁବନେଶ୍ୱର, ୨୨ ଅକ୍ଟୋବର: ୨୦୨୭ ପୁରୀ ରଥଯାତ୍ରାର ସୁପରିଚାଳନା ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ରାସ୍ତାଘାଟର ଉନ୍ନତୀକରଣ, ପାର୍କିଂ, ସ୍ୱାସ୍ଥ୍ୟସେବା, ପାନୀୟ ଜଳ, ସ୍ୱଚ୍ଛତା ଓ ଭିଡ଼ ନିୟନ୍ତ୍ରଣ ଉପରେ ଆଲୋଚନା ହୋଇଛି।
୨୦୨୭ ଜୁଲାଇ ୫ରେ ଶ୍ରୀଗୁଣ୍ଡିଚା ଯାତ୍ରା, ୧୩ରେ ବାହୁଡ଼ା ଯାତ୍ରା, ୧୪ରେ ସୁନାବେଶ ଓ ୧୬ରେ ନୀଳାଦ୍ରି ବିଜେ ଅନୁଷ୍ଠିତ ହେବ। ରଥଯାତ୍ରା ପୂର୍ବରୁ ପୁରୀ ରେଳ ଷ୍ଟେସନର ନୂତନ କୋଠା ନିର୍ମାଣ ଶେଷ କରିବା, ମାଳତୀପାଟପୁରରେ ସ୍ଥାୟୀ ଚିକିତ୍ସାଳୟ କାର୍ଯ୍ୟକ୍ଷମ କରିବା ଏବଂ ଜରୁରୀକାଳୀନ ସେବାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
ଏଥିସହ ବିଦ୍ୟୁତ୍ ଓ ଟେଲିକମ୍ ବ୍ୟବସ୍ଥାର ଉନ୍ନତୀକରଣ, ଡ୍ରେନେଜ୍ ସଫେଇ, ଅଧିକ ପାର୍କିଂ ସ୍ଥାନ ଚିହ୍ନଟ ଏବଂ ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ୍ ଆଣ୍ଡ କମାଣ୍ଡ ସେଣ୍ଟରର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ୨୦୨୭ ମାର୍ଚ୍ଚ ସୁଦ୍ଧା ଶେଷ କରିବାକୁ ଯୋଜନା ରହିଛି। ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସମ୍ପନ୍ନ କରିବାକୁ ମୁଖ୍ୟ ଶାସନ ସଚିବ ବିଭାଗୀୟ ଅଧିକାରୀମାନଙ୍କୁ ଗୁରୁତ୍ୱାରୋପ କରିଛନ୍ତି।

