ଦିଲ୍ଲୀପ କୁମାର ସୁବୁଦ୍ଧି
ଓଡ଼ଶାର ପାରମ୍ପରିକ ଆରିସା ପିଠାରେ ସେ ଭରିଛନ୍ତି ଓଡିଶା ସଂସ୍କୃତିର ସ୍ୱାଦ ଓ ଗ୍ରାମ୍ୟ ଜୀବନର ମହକ। ରାଜମଣି ଫୁଡସ ନାଁରେ ନିଜ ଘରୁ ବ୍ୟବସାୟ ଆରମ୍ଭ କରି ସଶକ୍ତ ନାରୀ ଭାବେ ନିଆରା ପରିଚୟ ସୃଷ୍ଟି କରିଛନ୍ତି ଭୁବନେଶ୍ବର ବାସିନ୍ଦା ତାରା ଦାସ।

ଘରର ଚାରିକାନ୍ଥ ଭିତରେ ଲୁଚି ରହିଥିବା ହାତର ଯାଦୁ ଯେତେବେଳେ ବାହାର ଦୁନିଆକୁ ଆସେ, ସେତେବେଳେ ସୃଷ୍ଟି ହୁଏ ଏକ ନୂଆ ପରିଚୟ। ଓଡ଼ିଶାର ପାରମ୍ପରିକ ସ୍ୱାଦ ଆରିସା ପିଠାକୁ ମାଧ୍ୟମ କରି ସେମିତି ଏକ ପ୍ରେରଣାଦାୟୀ ଯାତ୍ରା ଗଢ଼ି ତୋଳିଛନ୍ତି ତାରା ଦାସ। ନିଜ ଉଦ୍ୟୋଗ ‘ରାଜମଣି ଫୁଡ୍ସ’ (Rajamani Foods) ଜରିଆରେ ସେ କେବଳ ପାରମ୍ପରିକ ମିଠା ବିକୁନାହାନ୍ତି, ବରଂ ଓଡ଼ିଆ ଘରର ସ୍ନେହ, ମମତା ଓ ଗ୍ରାମ୍ୟ ସଂସ୍କୃତିର ବାସ୍ନାକୁ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି।

ଆମ ରାଜ୍ୟରେ ଘରେ ଘରେ ପର୍ବପର୍ବାଣିରେ ପ୍ରସ୍ତୁତ ହେଉଥିବା ଆରିସା ପିଠା ପ୍ରସ୍ତୁତି ଏକ ଧୈର୍ଯ୍ୟସାପେକ୍ଷ କଳା। ଚାଉଳ ଗୁଣ୍ଡ, ଗୁଡ଼ର ପାଗ ଏବଂ ତେଲର ଉଚିତ ତାପମାତ୍ରା—ଏସବୁର ସଠିକ୍ ସମନ୍ୱୟ ବିନା ଉତ୍ତମ ଆରିସା ଅସମ୍ଭବ। ତାରା ଦାସ ଏହି କଷ୍ଟସାଧ୍ୟ ପାରମ୍ପରିକ ଶୈଳୀକୁ ନିଜର ଶକ୍ତି ବନାଇଲେ।କୌଣସି ବଡ଼ ଫ୍ୟାକ୍ଟ୍ରି ନୁହେଁ, ବରଂ ନିଜ ଘରର ଚୁଲି ଓ ରୋଷେଇଶାଳାରୁ ହିଁ ‘ରୋଜାମଣି ଫୁଡ୍ସ’ର ଯାତ୍ରା ଆରମ୍ଭ ହୋଇଥିଲା। ସୀମିତ ସମ୍ବଳ ଓ ଅସୀମ ଆତ୍ମବିଶ୍ୱାସ ତାଙ୍କର ମୁଖ୍ୟ ପୁଞ୍ଜି ଥିଲା।
କୌଣସି କୃତ୍ରିମ ସୁଗନ୍ଧ ବା ପ୍ରିଜରଭେଟିଭ୍ ବିନା, ପାରମ୍ପରିକ ଖଣ୍ଡଗୁଡ଼, ଘିଅ ଏବଂ ରାଶିର ଉଚିତ ମିଶ୍ରଣରେ ଏହି ପିଠା ତିଆରି ହୁଏ, ଯାହା ଗାଁ ମାଟିର ପାର୍ବଣ ପରିବେଶକୁ ମନେ ପକାଇଦିଏ। ଆରିସା ପିଠା ଅନେକ ସମୟରେ ଟାଣ ହୋଇଯିବାର ଡର ଥାଏ, କିନ୍ତୁ ସଠିକ୍ ପାଗ ଏବଂ ପାରମ୍ପରିକ ଅନୁଭୂତି ଯୋଗୁଁ ତାଙ୍କ ହାତତିଆରି ପିଠା ବାହାରୁ କୁଡ଼ୁକୁଡ଼ିଆ ଓ ଭିତରୁ ଅତ୍ୟନ୍ତ ନରମ ରହିଥାଏ।ଗାଁର ସ୍ୱାଦକୁ ଆଧୁନିକ ମାନଦଣ୍ଡରେ ପ୍ୟାକ୍ କରି ସହରର ଗ୍ରାହକଙ୍କ ପାଖରେ ସତେଜ ଭାବେ ପହଞ୍ଚାଇବାର ବ୍ୟବସ୍ଥା ତାଙ୍କ ବ୍ରାଣ୍ଡର ଲୋକପ୍ରିୟତା ବଢ଼ାଇଛି।

ତାରା ଦାସ ପ୍ରମାଣ କରିଛନ୍ତି ଯେ ବ୍ୟବସାୟ ପାଇଁ ବଡ଼ ଡିଗ୍ରୀ ଅପେକ୍ଷା ନିଜ କାମ ପ୍ରତି ନିଷ୍ଠା ଓ ଇଚ୍ଛାଶକ୍ତି ଅଧିକ ଜରୁରୀ। ନିଜ ସହ ଅନ୍ୟ କେତେକଙ୍କୁ ପିଠା ତିଆରି କୌଶଳ ଶିଖାଇ ସେ ଶୈଳଶ୍ରୀ ବିହାର ଅଞ୍ଚଳରେ ଏକ କ୍ଷୁଦ୍ର ଓ ନୀରବ ଅର୍ଥନୈତିକ ଆନ୍ଦୋଳନ ସୃଷ୍ଟି କରିପାରିଛନ୍ତି।ଆଜିକାଲିର ଫାଷ୍ଟଫୁଡ୍ ଯୁଗରେ, ଯେତେବେଳେ ଘରେ ଘରେ ପିଠାପଣା କରିବା କମିବାରେ ଲାଗିଛି, ସେତେବେଳେ ସେ ଓଡ଼ିଶାର ଏହି ମୂଲ୍ୟବାନ ଐତିହ୍ୟକୁ ନୂଆ ପିଢ଼ି ପାଖରେ ଜୀବନ୍ତ ରଖିଛନ୍ତି।

ତାରା ଦାସଙ୍କ ଏହି ଯାତ୍ରା ପ୍ରତ୍ୟେକଟି ସେହି ମହିଳାଙ୍କ ପାଇଁ ପ୍ରେରଣା, ଯିଏ ନିଜର ସ୍ୱପ୍ନକୁ ଡେଣା ଦେବାକୁ ଚାହାନ୍ତି। ତାଙ୍କ ହାତର ଆରିସା କେବଳ ଏକ ଖାଦ୍ୟ ନୁହେଁ, ତାହା ହେଉଛି ଜଣେ ଓଡ଼ିଆ ଗୃହିଣୀର ସଂଘର୍ଷ, ସାଧନା ଓ ସ୍ୱାଭିମାନର ମିଠା ପ୍ରତୀକ।

