
ପ୍ରତିଭା ରାୟ ଫାଉଣ୍ଡେସନ ଟ୍ରଷ୍ଟ ଓ ଆଦ୍ୟା ପ୍ରକାଶନୀ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନ ପରିସରରେ ଅକ୍ଷୟ ଚନ୍ଦ୍ର ରାୟ ସ୍ମାରକୀ ଷଷ୍ଠ ଅକ୍ଷୟ ଉପନ୍ୟାସ ପୁରସ୍କାର ପ୍ରଦାନ ଉତ୍ସବ ବିଶିଷ୍ଟ ଔପନ୍ୟାସିକା ଡ଼କ୍ଟର ପ୍ରତିଭା ରାୟଙ୍କ ପୌରାହିତ୍ୟରେ ଆୟୋଜିତ ହୋଇଯାଇଛି।

ଘାଟମୁଁହା ଡ଼ଙ୍ଗା ଉପନ୍ୟାସ ପାଇଁ ବରିଷ୍ଟ ପ୍ରଶାସକ, ଲେଖକ କଥାକାର ତଥା ଉପନ୍ୟାସିକ ଡକ୍ଟର ଲଲାଟେନ୍ଦୁ ସାହୁଙ୍କୁ ଅକ୍ଷୟ ଉପନ୍ୟାସ ପୁରସ୍କାର ପ୍ରଦାନ କରାଯାଇଛି। ଏକ ଲକ୍ଷ ଟଙ୍କାର ଅର୍ଥରାଶି ସହିତ ଡକ୍ଟର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଟ୍ରଷ୍ଟର ଉପସଭାପତି ଆଦ୍ୟାଶା ଦାସ ଟ୍ରଷ୍ଟର ସାରସ୍ୱତ ସ୍ବପ୍ନ ଓ ସମ୍ଭାବନା ସମ୍ପର୍କରେ ଆଲୋକପାତ କରିଥିଲେ। ପୁସ୍ତକ ସଂସ୍କୃତିର ପ୍ରସାର ଟ୍ରଷ୍ଟର ଲକ୍ଷ୍ୟ ବୋଲି ସେ ସୂଚିତ କରାଇ 6ଟି ଗଳ୍ପ ପୁସ୍ତକ ଓ ଗୋଟିଏ ଉପନ୍ୟାସ ଲେଖିଥିବା ଡକ୍ଟର ଲଲାଟେନ୍ଦୁ ସାହୁଙ୍କ ଲେଖନୀକୁ ପ୍ରସଂଶା କରିଥିଲେ।
ପ୍ରିୟ ପାଠକ ସମ୍ମାନ ଭାବେ ପ୍ରଶାନ୍ତ କୁମାର ଆଚାର୍ଯ୍ୟ,ପ୍ରକାଶନ ସଂସ୍ଥା ପକ୍ଷୀଘରର ବନୋଜ ତ୍ରିପାଠୀଙ୍କୁ ମଧ୍ୟ ଏ ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଫେସର ବସନ୍ତ କୁମାର ପଣ୍ଡା ନିଜ ବକ୍ତବ୍ୟରେ ସାମ୍ପ୍ରତିକ ଉପନ୍ୟାସର ଆହ୍ୱାନ -ସର୍ଭଇଭାଲ ଅଫ ଦି ଫିଟେଷ୍ଟ ଶୀର୍ଷକରେ ଆଲୋକପାତ କରିଥିଲେ।
ଡ଼କ୍ଟର ଲଲାଟେନ୍ଦୁ ସାହୁ ସମ୍ବର୍ଦ୍ଧନାର ଉତ୍ତରରେ ଘାଟରେ ଡ଼ଙ୍ଗାକୁ ଅପେକ୍ଷା କରିବାର ସାହାସ ଦେଇଥିବା ବନ୍ଧୁ, ପରିବାର ଓ ସତୀର୍ଥ ମାନଂକୁ କୃତଜ୍ଞତା ଜଣାଇଥିଲେ ଓ ଆଗକୁ ଗୁଣାତ୍ମକ ଉପନ୍ୟାସ ସୃଷ୍ଟି ଦିଗରେ ପ୍ରଯତ୍ନ ହେବେ ବୋଲି ସୂଚାଇଥିଲେ। ଇଞ୍ଜିନିୟର ପ୍ରଶାନ୍ତ କୁମାର ଆଚାର୍ଯ୍ୟ ପାଠକୀୟ ଅଭିବ୍ୟକ୍ତି ଜରିଆରେ ପାଠକଙ୍କୁ ସମ୍ବର୍ଦ୍ଧିତ କରିବାରେ ଟ୍ରଷ୍ଟର ଭୂମିକାକୁ ପ୍ରସଂଶା କରିଥିଲେ।
ସାହିତ୍ୟର କାମ ସତ୍ୟର ଆବିଷ୍କାର ବୋଲି ସ୍ପଷ୍ଟ କରି ପ୍ରଖ୍ୟାତ କଥାକାର ଡ଼କ୍ଟର ଗୌରହରି ଦାସ ପୁରୁଣା ସମୟରେ ମହାକାବ୍ୟ ଗୁଡିକର ଭୂମିକା ଯାହା ଥିଲା ଆଧୁନିକ ସମୟରେ ଉପନ୍ୟାସର ଭୂମିକା ତାହା ହୋଇଛି ବୋଲି ସ୍ପଷ୍ଟ କରିଥିଲେ। ବର୍ଷା ବସନ୍ତ ବୈଶାଖ ଠାରୁ ଦୟାନଦୀର ନିରଞ୍ଜନା ଯାଏଁ ଉପନ୍ୟାସ ରେ ଅନେକ ଚରିତ୍ରକୁ ଜୀବନ୍ତ କରିଥିବା ଡ଼କ୍ଟର ପ୍ରତିଭା ରାୟ ଉପନ୍ୟାସର ଆତ୍ମା ଉପରେ ଆବେଗିକ ବକ୍ତବ୍ୟ ରଖିଥିଲେ। ଆଇପିଏସ ଡକ୍ଟର ଲଳିତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

