
ପ୍ରସ୍ତୁତି ସହ ବିପର୍ଯ୍ୟୟ ପରବର୍ତ୍ତୀ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସହିତ ଆଲୋଚନା
ଭୁବନେଶ୍ୱର: ୨୮/୧୦/୨୦୨୬ :
ସୃଷ୍ଟି ହୋଇଥିବା ବାତ୍ୟା “ଅର୍ଣ୍ଣବ”ର ଓଡ଼ିଶାରେ ପ୍ରଭାବ ସଂପର୍କିତ ସ୍ଥିତି, ଏହାକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତି ଏବଂ ବିପର୍ଯ୍ୟୟ ପରବର୍ତ୍ତୀ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ୍ କମିଶନର ( ଏସଆରସି),ଓଡ଼ିଶା ଙ୍କ କାର୍ଯ୍ୟାଳୟରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଜି ସମୀକ୍ଷା କରିଛନ୍ତି । ଏ ସଂପର୍କରେ ଏସଆରସି ଶ୍ରୀ ରାଜେଶ ପ୍ରଭାକର ପାଟିଲ, ମୁଖ୍ୟ ଶାସନ ସଚିବଙ୍କୁ ସବିଶେଷ ଅବଗତ କରାଇଥିଲେ । ଏହି ବୈଠକରେ ବାତ୍ୟା ପୂର୍ବ ପ୍ରସ୍ତୁତି ଏବଂ ଜରୁରୀକାଳୀନ ପଦକ୍ଷେପଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ବାତ୍ୟାର ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ସମ୍ଭାବ୍ୟ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ସଂପର୍କରେ ଏସଆରସି ଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା ।
‘ଶୂନ୍ୟ ଜୀବନହାନି’ (Zero Casualty) କୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ପ୍ରତ୍ୟକ୍ଷ ସମୀକ୍ଷା ଆଧାରରେ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟ କରାଯାଉଛି ।
ସମସ୍ତ ଜିଲ୍ଲା ନିୟନ୍ତ୍ରଣ କକ୍ଷ ୨୪ ଘଣ୍ଟା କାର୍ଯ୍ୟକ୍ଷମ ରହିଥିବା ବେଳେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ପ୍ରଭାବିତ ଅଞ୍ଚଳରେ ସମସ୍ତ ବିଦ୍ୟାଳୟ ଓ ଆଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ୮ଟି ପ୍ରଭାବିତ ଜିଲ୍ଲାରେ ୩୨୪ଟି ସକ୍ରିୟ ଆଶ୍ରୟସ୍ଥଳରେ ୩୧,୨୫୫ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି । ରାଜ୍ୟରେ ମୋଟ ୨,୦୬୭ଟି (୧୪୧ ସ୍ଥାୟୀ + ୧,୯୨୬ ଅସ୍ଥାୟୀ) ଆଶ୍ରୟସ୍ଥଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଛି । ଚିହ୍ନଟ ହୋଇଥିବା ୪,୧୩୯ ଜଣ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୨,୨୪୫ ଜଣଙ୍କୁ ନିକଟସ୍ଥ ହସ୍ପିଟାଲ ଓ ସ୍ୱାସ୍ଥ୍ୟକେନ୍ଦ୍ରକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି । ସମୁଦ୍ରରୁ ୧୧,୯୫୫ ଓ ଚିଲିକାରୁ ୭,୧୮୮ ଏହିଭଳି ମୋଟ ୧୯,୧୪୩ଟି ମାଛଧରା ଡଙ୍ଗାକୁ ସୁରକ୍ଷିତ ଭାବେ କୂଳକୁ ଅଣାଯାଇଛି । .
ଗତ ୨୪ ଘଣ୍ଟା ମଧ୍ୟରେ ଆଜି ସକାଳ ୮.୩୦ ସୁଦ୍ଧା ରାଜ୍ୟରେ ହାରାହାରି ୨୩.୯ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ୧୪ଟି ବ୍ଲକ୍ ଏବଂ ୩ଟି ସହରାଞ୍ଚଳରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଛି । ସର୍ବାଧିକ ବର୍ଷା ହୋଇଥିବା ବ୍ଲକ୍: କୋରାପୁଟର ପଟ୍ଟାଙ୍ଗି (୧୮୮.୦ ମିମି), ଗଜପତିର ମୋହନା (୧୮୨.୪ ମିମି), ଗଞ୍ଜାମ ବ୍ଲକ୍ (୧୬୧.୪ ମିମି), ଛତ୍ରପୁର (୧୫୪.୬ ମିମି) ଏବଂ ସିମିଳିଗୁଡ଼ା (୧୪୩.୧ ମିମି) । ଜିଲ୍ଲାଗୁଡିକରେ ହାରାହାରି ବର୍ଷା ମଧ୍ୟରେ ଗଜପତି (୧୨୧.୨ ମିମି), ଗଞ୍ଜାମ (୮୩.୧ ମିମି), କୋରାପୁଟ (୬୧.୦ ମିମି) ଏବଂ ପୁରୀ (୫୪.୨ ମିମି) ରହିଛି ।
ସାରା ରାଜ୍ୟରେ ମୋଟ ୬୨ଟି ODRAF, ୯ଟି NDRF ଏବଂ ୨୪୪ଟି ଅଗ୍ନିଶମ ସେବା ଟିମ୍ ମୁତୟନ ହୋଇଛନ୍ତି । ଏଥିସହିତ ୧,୫୧୦ଟି ପାୱାର ଚେନ୍-ସ’, ୨୨୫ଟି ଟୋଇଂ ଟେଣ୍ଡର, ୧୧୦ଟି ଡଙ୍ଗା, ୧୩୫ ଟି ଜଳ ନିଷ୍କାସନ ପମ୍ପ ଓ ୨୨୫ଟି ଟାୱାର ଲାଇଟ୍ ମୁତୟନ ଅଛି । ବାତ୍ୟା ପ୍ରଭାବିତ ୮ଟି ଜିଲ୍ଲା ପାଇଁ ସରକାର ୧୯ କୋଟି ଟଙ୍କାର ରିଲିଫ୍ ସହାୟତା ମଞ୍ଜୁର କରିଛନ୍ତି । ଗଞ୍ଜାମ ଜିଲ୍ଲାକୁ ୫ କୋଟି ଏବଂ ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳକୁ ୨ କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି ।
ଛୁଡ଼ା, ଗୁଡ଼, ଚାଉଳ, ବିସ୍କୁଟ୍, ପଲିଥିନ୍ ଏବଂ ଆଣ୍ଟି-ସର୍ପ ଭେନମ୍ (ASV) ଯଥେଷ୍ଟ ପରିମାଣରେ ମହଜୁଦ ରଖାଯାଇଛି । TPSODL ଅଧୀନରେ ପ୍ରଭାବିତ ୨୦,୧୯,୧୨୪ ଗ୍ରାହକଙ୍କ ମଧ୍ୟରୁ ୬୫.୪୧% (୧୩,୨୦,୭୦୫ ଜଣ) ଙ୍କୁ ବିଦ୍ୟୁତ୍ ସଂଯୋଗ ପୁନରୁଦ୍ଧାର କରାଯାଇସାରିଛି । ଗଜପତିରେ ସର୍ବାଧିକ ୮୧.୧୬% ଏବଂ ମାଲକାନଗିରିରେ ୭୧.୬୧% ବିଦ୍ୟୁତ୍ ସେବା ସ୍ୱାଭାବିକ ହୋଇଛି ।

