* ମିତବ୍ୟୟିତା ହେଉଛି ଉଜ୍ଜ୍ୱଳ ଭବିଷ୍ୟତର ଚାବିକାଠି
* ଛୋଟ ସଞ୍ଚୟ, ବଡ଼ ସ୍ୱପ୍ନ
* ମିତବ୍ୟୟିତା ମାଧ୍ୟମରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ସୁରକ୍ଷା ହାସଲ ସମ୍ଭବ

ଭୁବନେଶ୍ବର ୨୯ .୧୦:ପ୍ରତିବର୍ଷ ଅକ୍ଟୋବର ମାସ ୩୦ ତାରିଖରେ ‘ମିତବ୍ୟୟିତା’ ଦିବସ’ ପାଳନ କରାଯାଉଥିବାବେଳେ ଚଳିତ ବର୍ଷ ଏହି ଦିବସର ମହତ୍ତ୍ୱକୁ ଏକ ସୁନ୍ଦର କଳାକୃତି ଜରିଆରେ ଫୁଟାଇଛନ୍ତି ଭୁବନେଶ୍ୱର ଭୀମଟାଙ୍ଗି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସପ୍ତମ ଶ୍ରେଣୀର ମେଧାବୀ ଛାତ୍ର ଶାନ୍ତନୁ ଶାନ୍ତିସ୍ବରୂପ। ଏହି ଅବସରରେ ସେ ଏକ ନିଖୁଣ ଓ ପ୍ରେରଣାଦାୟୀ ଚିତ୍ର ଅଙ୍କନ କରିଛନ୍ତି।
ଛାତ୍ର ଜଣକ ତାଙ୍କର ଏହି ଚିତ୍ରରେ ‘ଛୋଟ ସଞ୍ଚୟ, ବଡ଼ ସ୍ୱପ୍ନ’ ଏବଂ ‘ଆଜିର ସଞ୍ଚୟ ଆଗାମୀ ଉଜ୍ଜ୍ୱଳ ଭବିଷ୍ୟତ’ର ବାର୍ତ୍ତାକୁ ଅତି ସୂକ୍ଷ୍ମ ଭାବେ ପ୍ରଦର୍ଶନ କରିଛନ୍ତି। ଉକ୍ତ ଚିତ୍ରକଳାରେ ଏକ ପିଗି ବ୍ୟାଙ୍କ୍ ରେ କଏନ୍ ପକାଯାଉଥିବାର ଦୃଶ୍ୟ ସହିତ ଶିକ୍ଷା, ସ୍ୱାସ୍ଥ୍ୟ, ନିରାପଦ ଗୃହ ଏବଂ ଏକ ସବୁଜ ପୃଥିବୀର ସୁନ୍ଦର ପରିକଳ୍ପନା କରାଯାଇଛି।
ଅର୍ଥ ସଞ୍ଚୟ କରିବା କେବଳ ବ୍ୟକ୍ତିଗତ ଜୀବନକୁ ସମୃଦ୍ଧ କରିନଥାଏ, ବରଂ ଏହା ଏକ ଦୃଢ଼ ସମାଜ ଏବଂ ସୁସ୍ଥ ପରିବେଶ ଗଠନରେ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ବୋଲି ଏହି ଚିତ୍ରଟି ବାର୍ତ୍ତା ଦେଉଛି। ଛୋଟ ବୟସରୁ ପିଲାଙ୍କ ମଧ୍ୟରେ ମିତବ୍ୟୟିତା, ଯୋଜନା ଏବଂ ଆର୍ଥିକ ଶୃଙ୍ଖଳା ସଚେତନତା ସୃଷ୍ଟି କରିବା ଦିଗରେ ଏହି ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ ହୋଇଛି।

